ନୂଆଦିଲ୍ଲୀ: ଆସନ୍ତା ୧୬ରୁ ସମଗ୍ର ଦେଶରେ କରୋନା ଟିକାକରଣ ଆରମ୍ଭ ହେବ। ଏହି ଟିକାକରଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଧିବଦ୍ଧ ଭାବେ ଉଦଘାଟନ କରିବେ। ଦିଲ୍ଲୀରେ ଟିକାକରଣକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ପ୍ରଥମ ଦଫାରେ ଟିକାରକଣ ପାଇଁ ଆମକୁ ୨.୭୪ ଲକ୍ଷ ଟିକା ମିଳିଛି। ୧୬ ତାରିଖରେ ଦିଲ୍ଲୀର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ତେବେ ଟିକାକରଣ ପାଇଁ ରାଜ୍ୟ ସରକାର ସପ୍ତାହରେ ୪ ଦିନ ସୋମବାର, ମଙ୍ଗଳବାର, ଗୁରୁବାର ଓ ଶନିବାର ଧାର୍ଯ୍ୟ କରାଯାଇଛି । ବାକି ଦିନ ଗୁଡ଼ିକରେ ପୂର୍ବ ନିର୍ଦ୍ଧାରିତ ରୋଗ ଗୁଡ଼ିକ ପାଇଁ ଟିକାକରଣ କରାଯିବ କରୋନା ଟିକାକରଣ ପାଇଁ ଅନ୍ୟ ଟିକାକରଣ ପ୍ରଭାବିତ ନ କରିବାକୁ ଏପରି କରାଯାଇଛି ।
କେଜ୍ରିୱାଲ କହିଛନ୍ତି, ପ୍ରଥମ ଦଫାରେ ରାଜ୍ୟ ସରକାର ୮୧ଟି କେନ୍ଦ୍ରରେ ଟିକାକରଣ କାର୍ୟ୍ୟକ୍ରମ ଆରମ୍ଭ କରିବେ। ୩୬ଟି ସରକାରୀ ଓ ୫୬ଟି ଘରୋଇ ହସ୍ପିଟାଲରେ ଗୋଟିଏ ଲେଖା କେନ୍ଦ୍ର ଖୋଲାଯାଇ ଟିକା ଦିଆଯିବ । ଏହାପରେ ଏହାକୁ ୧୭୫କୁ ବୃଦ୍ଧି କରାଯିବ। ସମୟକ୍ରମେ ଏହି ସଂଖ୍ୟାକୁ ୧ ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ।