ପୁରୀ – ଦୀର୍ଘ ୯ ମାସର କୋଭିଡ କଟକଣା ପରେ ଖୋଲିଛି ଶ୍ରୀଜଗନ୍ନାଥ ମନ୍ଦିର । କଟକଣା ଭିତରେ ଭକ୍ତ କରୁଛନ୍ତି ଜଗା ଦର୍ଶନ । ଗତ ୨୩ ତାରିଖରୁ ପୁରୀରେ ଆରମ୍ଭ ହୋଇଛି ଜଗା ଦର୍ଶନ ।ପ୍ରଥମ ତିନିଦିନ ଧରି ସେବାୟତଙ୍କ ପରିବାରଙ୍କୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନୁମତି ମିଳିଥିଲା ।ଏହା ପରେ ୨୬ ତାରିଖରୁ ୩୧ ତାରିଖ ଯାଏଁ ପୁରୀ ସହରବାସୀଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି । ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ୱାର୍ଡୱାରୀ ପୁରୀବାସୀ କରୋନା କଟକଣା ଭିତରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ୩ ଟି ଦଫାରେ ପ୍ରତ୍ୟେକ ୱାର୍ଡବାସୀଙ୍କୁ ଚାରି ଘଣ୍ଟା ଦର୍ଶନ କରିବାର ସୁଯୋଗ ମିଳୁଛି । ଆଜି ପୁରୀ ସହରରେ ୨୩ ,୨୪,୨୫,୩୦, ୭ ଓ ୨୭ ନମ୍ବର ୱାର୍ଡବାସୀ ଦର୍ଶନ କରିବେ ।ସକାଳ ୮ ଟାରୁ ୧୨ଟା ପର୍ଯ୍ୟନ୍ତ ୨୩ ଓ ୨୪ ନଂ ୱାର୍ଡବାସୀ ୧୨.୩୦ରୁ ୪.୩୦ ପର୍ଯ୍ୟନ୍ତ ୨୫ ନଂ ଓ ୩୦ ନଂ ୱାର୍ଡବାସୀ ଓ ସଂଧ୍ୟା ୫ ଟାରୁ ମହାପ୍ରଭୁଙ୍କ ପହୁଡ ହେବା ପର୍ଯ୍ୟନ୍ତ କେବଳ ୭ ଓ ୨୭ ନଂ ୱାର୍ଡବାସୀ ଦର୍ଶନ କରିବେ ।
ଯେଉଁମାନେ ପୁରୀ ସହରରେ ଭଡା ରହୁଥିବେ ଓ କର୍ମଜୀବୀ ଭାବେ କାର୍ଯ୍ୟ କରୁଥିବେ ସେମାନଙ୍କୁ ସ୍ୱତନ୍ତ୍ର ଟୋକନ ଯୋଗେ ଦର୍ଶନର ସୁଯୋଗ ଦିଆଯିବ । ଭଡାଟିଆଙ୍କ ପାଇଁ ନୀଳରଙ୍ଗର ଓ କର୍ମଜୀବୀଙ୍କ ପାଇଁ ସବୁଜ ରଙ୍ଗର ଟୋକନ ବ୍ୟବସ୍ଥା ହୋଇଛି । ସମସ୍ତ ପୁରୀବାସୀ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରି ଦର୍ଶନ କରିବେ । ଶ୍ରୀଜିଉଙ୍କ ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ଜାରି ହୋଇଛି । ସେବାୟତ ହୁଅନ୍ତୁକି ପୁରୀ ବାସିନ୍ଦା, ସମସ୍ତଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି ।
ତେବେ ଜାନୁଆରୀ ୩ ତାରିଖରୁ ସର୍ବସାଧାରଣ ଦର୍ଶନ କରିବେ ଶ୍ରୀଜିଉଙ୍କୁ । ଜିଲ୍ଲା ବାହାର ଭକ୍ତମାନେ ଏହି ଦିନଠାରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ତେବେ ପୁରୀ ବାହାରର ଭକ୍ତଙ୍କ ଲାଗି କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।
Edit by sanjulata sahoo