ପଶ୍ଚିମବଙ୍ଗ ସରକାରଙ୍କର ବଡ ନିଷ୍ପତ୍ତି : ୧୦ମ ବୋର୍ଡ ପରୀକ୍ଷାରେ ବନ୍ଦ ରହିବ ଇଣ୍ଟରନେଟ

0

ମୁର୍ଶିଦାବାଦ: ଦେଶରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ସରକାର ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ୧୦ମ ବୋର୍ଡ ପରୀକ୍ଷା ସମୟରେ ରାଜ୍ୟର କିଛି ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ଅସ୍ଥାୟୀ ରୂପେ ବନ୍ଦ କରିଛନ୍ତି। ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡର ଜଣେ ଅଧିକାରୀ କହିଛନ୍ତି କି, ସୋମବାରଠାରୁ ଆରମ୍ଭ ହୋଇଥିବା ୧୦ମ ବୋର୍ଡ ପରୀକ୍ଷାରେ କପି ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ମାଲ୍ଦା ଏବଂ ମୁର୍ଶିଦାବାଦ ସମେତ ରାଜ୍ୟର ବିଭିନ୍ନ ଜିଲାରେ ପରୀକ୍ଷା ଆରମ୍ଭ ହେବାର ୧ ଘଣ୍ଟା ଭିତରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ୨୦୧୯ ଏବଂ ୨୦୨୦ରେ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଲିକ୍ ହେବା ଉପରେ ସରକାର ଏମିତି ପଦକ୍ଷେପ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୧ରେ କରୋନା ମହାମାରୀ ଯୋଗୁ ୧୦ମ ଏବଂ ଦ୍ୱାଦଶ ପରୀକ୍ଷାକୁ ରଦ୍ଦ କରି ଦେଇଥିଲା । କିନ୍ତୁ ୨୦୨୦ରେ ୧୦ମ ପରୀକ୍ଷା ଆରମ୍ଭ ହେଉଣୁ ହ୍ଵାଟସ୍ଆପରେ କିଛି ପ୍ରଶ୍ନପତ୍ରର ଫଟୋ ଭାଇରାଲ ହେବାରେ ଲାଗିଥିଲା। ଏଣୁ ଏପରି ନିଷ୍ପତି ନେଇଥିବା ସୂଚନା ମିଳିଛି ।