ରାଇମୋହନଙ୍କ ନୟନ ରହିବ ଅମର   

ପଞ୍ଚଭୂତରେ ବିଲୀନ ହେଲା ଓଲିଉଡ୍‌ ଅଭିନେତା ରାଇମୋହନଙ୍କ ମରଶରୀର।

0

(ଭୁବନେଶ୍ୱର) : ପଞ୍ଚଭୂତରେ ବିଲୀନ ହେଲା ଓଲିଉଡ୍‌ ଅଭିନେତା ରାଇମୋହନଙ୍କ ମରଶରୀର। ଗତ କାଲି ସନ୍ଧ୍ୟା ବେଳେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଇମୋହନଙ୍କ ସାନଝିଅ ଉଦିତା ପରିଡ଼ା ମୁଖାଗ୍ନି ଦେଇଛନ୍ତି ।

 

ଶୁକ୍ରବାର ଓଲିଉଡ୍‌ର ଭେଟ୍‌ରାନ୍‌ ଅଭିନେତା ରାଇମୋହନ ପରିଡ଼ାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା। କମିଶନରେଟ୍‌ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପରେ ମର ଶରୀରକୁ ବିଶାଳ ଶୋଭାଯାତ୍ରାରେ ସଂଗୀତ କଳା ମହାବିଦ୍ୟାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଉକ୍ତ ସ୍ଥାନରେ ବଡ଼ ଝିଅ, ଜ୍ୱାଇଁ, ପରିବାର ଲୋକ ଓ ବହୁ ଜଣାଶୁଣା କଳାକାର ଉପସ୍ଥିତ ଥିଲେ ।

 

ସୂଚନାନୁଯାୟୀ ,  ଓଡ଼ିଆ ସିନେ ଜଗତରେ ଜଣେ ଚର୍ଚ୍ଚିତ ଖଳନାୟକର ଆଖ୍ୟା ସେ ଅର୍ଜନ କରିପାରିଥିଲେ। ତାଙ୍କର ଅଭିନୟର ଯାଦୁ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା । ଆଖିର ଚାହାଣୀ ତାଙ୍କର ବେଶ୍ ଭୟଙ୍କର ଥିଲା । ଆଉ ସେହି ଆଖିରେ ଏବେ ଆଉ କିଏ ଦୁନିଆ ଦେଖିବ। ମୃତ୍ୟୁ ପରେ ସେ ତାଙ୍କର ଆଖି ଦୁଇଟିକୁ ଦାନ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ପରିବାର ଲୋକେ ପ୍ରମାଣପତ୍ରରେ ସ୍ୱାକ୍ଷର କରିଛନ୍ତି ।