କାହିଁକି କାନ୍ଥରେ ଅଙ୍କାଗଲା ଅଶ୍ଲୀଳ ଫଟୋ ?

0

ଭୁବନେଶ୍ୱର– ରାଜ୍ୟରେ କରୋନା କରାଳ ପ୍ରକୋପ ଏପର୍ଯ୍ୟନ୍ତ କମିନି । ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ସୁଦ୍ଧା ମୃତ୍ୟୁର ବ୍ରେକ ଲାଗୁନି ।ତେଣୁ କରୋନାକୁ ହରେଇବା ପାଇଁ ଓ ଆଗକୁ ଆସୁଥିବା ତୃତୀୟ ଲହରକୁ ସାମ୍ନା କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରହିଛି । ବିଭିନ୍ନ ଢଙ୍ଗରେ ଘର ଘର ବୁଲି ହେଉ କିମ୍ବା ଫଟୋ ସହ ଟିଭି ଓ ଖବରକାଗଜରେ ବିଜ୍ଞାପନ ଦେଇ ଭଳିକି ଭଳି ଚିତ୍ରରେ ରାଜ୍ୟବାସୀଙ୍କୁ କରୋନା ସଚେତନ କରୁଛନ୍ତି ସରକାର ।

 

ରାଜଧାନୀରେ କରୋନା ସଚେତନ କରିବାକୁ ଯାଇ ବିଭିନ୍ନ ରାସ୍ତାକଡ ପାଚେରୀରେକିଛି ଚିତ୍ର ଅଙ୍କାଯାଇଛି । ଆଉ ଏହି ଚିତ୍ରକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।କାରଣ ଫଟୋରେ କରୋନା ସଚେତନତା ସହ ଅଶ୍ଲୀଳ ଫଟୋ ଅଙ୍କା ଯାଇଥିବା ଦେଖିବାକୁ ମିଳିଛି । ଏହା ସୋସିଆଲ ମିଡ଼ିଆରେ ଏବେ ଭାଇରଲ ହେବାରେ ଲାଗିଛି । ଏହି ଚିତ୍ରକୁ ଶୀଘ୍ର ହଟେଇବା ପାଇଁ ଲୋକମାନେ ଦାବି କରିଛନ୍ତି ।ସୂଚନାଯୋଗ୍ୟ ଯେ ନୟାପଲ୍ଲୀ ବ୍ରିଟ କଲୋନୀ ପାଖରେ ଥିବା ରାସ୍ତାକଡ ପାଚେରୀରେ ଏହି ଅଶ୍ଲୀଳ ଫଟୋ ଅଙ୍କାଯାଇଛି ।

ଯେଉଁଥିରେ କରୋନା ଭୂତାଣୁର ସାଂକେତିକ ଚିତ୍ର କରାଯାଇଥିବା ବେଳେ ଆଗଧାଡିର ଯୋଦ୍ଧା କୁହାଯାଉଥିବା ଡାକ୍ତର ଓ ନର୍ସ ମଝି ଆଙ୍ଗୁଠି ଦେଖାଉଥିବାର ଦେଖିବାକୁ ମିଳିଛି । ତେଣୁ ଏହିଭଳି ଚିତ୍ରକୁ ଶୀଘ୍ର ହଟେଇବାକୁ ଲୋକମାନେ କହିଛନ୍ତି । କାରଣ ଏହିଭଳି ଚିତ୍ର ପିଲାଙ୍କ ଉପରେ ଖରାପ ପ୍ରଭାବ ପଡିବ ବୋଲି ଲୋକମାନେ ଏହାକୁ ଶୀଘ୍ର ହଟାଇବାକୁ ଦାବି କରିଛନ୍ତି ।