ବ୍ରହ୍ମପୁର : ଏମକେସିଜିରୁ ଆସିଲା ସ୍ୱାସ୍ଥ୍ୟସେବାର ବିଚିତ୍ର ଦୃଶ୍ୟ । ହୃଦ୍ରୋଗ ଚିକିତ୍ସା ପାଇଁ ତିନିଟି ଶିଶୁଙ୍କୁ ଗୋଟିଏ ସିଲିଣ୍ଡରରୁ ଦିଆଯାଉଛି ଅକ୍ସିଜେନ୍ । ଦକ୍ଷିଣ ଓଡ଼ିଶାର ଜୀବନରେଖା ‘ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍ପିଟାଲ’ରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ରହ୍ମପୁରସ୍ଥିତ ଏହି ବଡ଼ଡାକ୍ତରଖାନା ବିଭିନ୍ନ ସମସ୍ୟାର କବଳିତ ହୋଇ ସ୍ବାସ୍ଥ୍ୟସେବାରେ ଅବହେଳା କରୁଥିବା ଅଭିଯୋଗ ହୋଇଛି । ଆଜି ଏହି ବୃହତ୍ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ଏମକେସିଜିର ଏସ୍ଏନ୍ସିୟୁ ୱାର୍ଡରେ ଗୋଟିଏ ସିଲିଣ୍ଡରରୁ ୩ ଜଣ ଶିଶୁଙ୍କୁ ଅକ୍ସିଜେନ ଦିଆଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଫଟୋଟି ସୋସିଆଲ୍ ମିଡିଆରେ ପୋଷ୍ଟ ହେବାପରେ ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଛି । ଓଡ଼ିଶାରେ କ’ଣ ଅକ୍ସିଜେନର ଏପରି ଅଭାବ ପଡ଼ିଲା ଯେ ୩ ଜଣ ଶିଶୁଙ୍କୁ ସେମାନଙ୍କ ମା’ମାନେ ଠିଆ ହେବା ଅବସ୍ଥାରେ ଗୋଟିଏ ସିଲିଣ୍ଡରରୁ ଆସିଥିବା ପାଇପରୁ ଅକ୍ସିଜେନ୍ ଦେଲେ !
ସୂଚନା ଅନୁସାରେ ଆଜି ଏସ୍ଏନ୍ସିୟୁରେ ୩ ଜଣ ଶିଶୁଙ୍କୁ ଭର୍ତ୍ତି କରାଯାଇଥିଲା। ଏହି ଶିଶୁମାନଙ୍କର ସାମାନ୍ୟ ହୃଦୟଜନିତ ସମସ୍ୟା ଥିଲା। ତେଣୁ ସେମାନଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା। ତେବେ ଗୋଟିଏ ସିଲିଣ୍ଡରରୁ ୩ ଜଣ ଶିଶୁଙ୍କୁ ପାଇପ୍ ମାଧ୍ୟମରେ ଅକ୍ସିଜେନ ଦିଆଯାଇଥିଲା। ଜଣେ କର୍ମଚାରୀ ଅକ୍ସିଜେନ ସିଲିଣ୍ଡରଙ୍କୁ ଟାଣି ଟାଣି ନେଉଥିବା ବେଳେ, ଶିଶୁମାନଙ୍କୁ ହାତରେ ଧରି ସେମାନଙ୍କର ମା’ମାନେ ପଛପଛେ ଯାଉଥିଲେ। ତେବେ କାହିଁକି ଓ କାହା ନିର୍ଦ୍ଦେଶରେ ତିନି ଶିଶୁଙ୍କୁ ଗୋଟିଏ ସିଲିଣ୍ଡର ଅକ୍ସିଜେନ ଦିଆଯାଇଥିଲା ଏନେଇ ତଦନ୍ତ କରାଯାଉଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।