ନାମାଙ୍କନ ଦାଖଲ କଲେ ଯଶୱନ୍ତ ସିହ୍ନା

ରାହୁଲ ଗାନ୍ଧୀଙ୍କ ସମେତ ବହୁ ତୁଙ୍ଗ ନେତା ସାମିଲ

0

ନୂଆଦିଲ୍ଲୀ: ଚଳିତ ରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ ଯଶୱନ୍ତ ସିହ୍ନା ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ସମୟରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜୟରାମ ରମେଶ, ମଲ୍ଲିକାର୍ଜୁନ ଖାଡଗେ, ଏନସିପି ସୁପ୍ରିମୋ ଶରଦ ପାୱାର, ଟିଏମସି ନେତା ଅଭିଶେଷଖ ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ। ସିହ୍ନାଙ୍କ ସପକ୍ଷରେ କଂଗ୍ରେସ ସମେତ ଏନସିପି, ଟିଏମସି ସମେତ ଅନେକ ବିରୋଧୀ ଦଳ ରହିଛନ୍ତି। ଗତ ୨୪ ତାରିଖରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ କରିଥିଲେ। ସେ ନାମାଙ୍କନ ଭରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଏନଡିଏର ଅନେକ ତୁଙ୍ଗ ନେତା ଓ ବିଜେଡିର ଦୁଇ ମନ୍ତ୍ରୀ ଜଗନ୍ନାଥ ସାରକା, ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଦ୍ରୌପଦୀଙ୍କ ସପକ୍ଷରେ ୱାଇଏସଆର କଂଗ୍ରେସ, ବିଏସପି ଓ ବିଜେଡିର ସମର୍ଥନ ରହିଥିବା ଜଣାପଡିଛି। ଜଣେ ପ୍ରଶାସନିକ ଅଧିକାରୀରୁ କ୍ୟାରିଅର ଆରମ୍ଭ କରିଥିବା ଯଶୱନ୍ତ ସିହ୍ନା ପ୍ରଥମେ ଜନତା ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଲାଲକୃଷ୍ଣ ଆଡଭାନୀଙ୍କ ରାମ ଜନ୍ମଭୂମି ଆନ୍ଦୋଳନ ସମୟରେ ବିଜେପିରେ ଯୋଗଦେଇଥିଲେ। ଶ୍ରୀ ସିହ୍ନା ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ମୋଦି ସରକାର ଉପରେ ଅସନ୍ତୁଷ୍ଟ ହୋଇ ୨୦୧୮ରେ ବିଜେପି ଛାଡିଥିଲେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସିରେ ସାମିଲ ହୋଇଥିଲେ।